ବିଶ୍ୱ ହେପାଟାଇଟିସ୍ ଦିବସ 


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେପାଟାଇଟିସ୍ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରିଆସୁଛି । ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି "ହେପାଟାଇଟିସ୍ : ଚାଲ ଏହାକୁ ଭାଙ୍ଗିବା' ("ଐରକ୍ଟ୍ରବଗ୍ଧସଗ୍ଧସଗ୍ଦ: ଖରଗ୍ଧ'ଗ୍ଦ ଈକ୍ସରବଳ ଓଗ୍ଧ ଊକ୍ଟଙ୍ଗଦ୍ଭ") ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେପାଟାଇଟିସ୍ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରିଆସୁଛି । ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ କୁହାଯାଏ । ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ । ହେପାଟାଇଟିସ୍କୁ ପାଞ୍ଚଟି ଶ୍ରେଣୀଭୁକ୍ତ କରାଯାଇଛି । ସେଗୁଡ଼ିକ ହେଲା ଏ, ବି, ସି, ଡି ଏବଂ ଇ । ଏହି ଦିବସର ଆଭିମୁଖ୍ୟ ହେଉଛି ରୋଗର ପ୍ରତିକାର ଓ ଚିକିତ୍ସା । ସମଗ୍ର ବିଶ୍ୱରେ କୋଟି କୋଟି ବ୍ୟକ୍ତି ହେପାଟାଇଟିସ୍ ଦ୍ୱାରା ଆକ୍ରାନ୍ତ । ଏହାର ଭୟାବହତା ଓ ଦୁର୍ବଳ ଚିକିତ୍ସା ସେବା ହେତୁ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ମୃତୁ୍ୟମୁଖରେ ପଡ଼ୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ହେପାଟାଇଟିସ-ବି, ଅଥବା ହେପାଟାଇଟିସ୍-ସି ରୋଗରେ ପୀଡ଼ିତ । ଚିକିତ୍ସକଙ୍କ ମତରେ, ଯଦି ହେପାଟାଇଟିସ୍-ବି କିମ୍ବା ସି ରୋଗର ଉପଯୁକ୍ତ ଚିକିତ୍ସା କରାନଯାଏ ତେବେ ଏହା ଲିଭର ସିରୋସିସ, ଲିଭର କ୍ୟାନସର ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଅନେକଙ୍କର ଧାରଣା ରହିଛି ଯେ, ହେପାଟାଇଟିସ୍ ଠାରୁ ଏଡ଼୍ସ ଅତ୍ୟନ୍ତ ଭୟାବହ ରୋଗ । କିନ୍ତୁ ସତକଥା ହେଉଛି, ପ୍ରତିବର୍ଷ ଏଡ଼୍ସ ରୋଗରେ ଯେତିକି ଲୋକ ମରୁନାହାନ୍ତି ତା'ଠାରୁ ଅଧିକ ମରୁଛନ୍ତି ହେପାଟାଇଟିସ୍-ବି ଅଥବା ସି ରୋଗରେ । ହେପାଟାଇଟିସ୍ ସଂସ୍ଥା ଏବଂ ସ୍ୱେଚ୍ଛାସେବୀମାନେ ପ୍ରତିବର୍ଷ ଏହି ଦିବସରେ ଲୋକମାନଙ୍କୁ ବିିଭିନ୍ନ ସଚେତନଧର୍ମୀ ବାର୍ତ୍ତା ଦେଇଥାନ୍ତି । ୨୦୦୪ ମସିହାରେ ୟୁରୋପୀୟ ରାଷ୍ଟ୍ର ଏବଂ ମଧ୍ୟ ପୂର୍ବ ରାଷ୍ଟ୍ରର କେତେକ ଲିଭର ସଂସ୍ଥା ଓ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଥମେ ଏହାକୁ ନେଇ ଏକ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ୨୦୦୮ରେ ବିଶ୍ୱ ହେପାଟାଇଟିସ୍ ଚୁକ୍ତିନାମା ବୈଠକରେ ୧୯ମେ' ବିଶ୍ୱ ହେପାଟାଇଟିସ୍ ଦିବସ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ୨୦୧୦ରେ ହେପାଟାଇଟିସ୍-ବି ଭୂତାଣୁ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବାରୁଚ୍ ସାମୁଏଲ ବ୍ଲୁମ୍ବରର୍ଗଙ୍କ ଜନ୍ମଦିନ ଅବସରରେ ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍ ଦିବସ ଘୋଷଣା କରାଯାଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ଶହେଟି ରାଷ୍ଟ୍ର ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ହେପାଟାଇଟିସ୍ ରୋକିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ମଣିଷର ଯକୃତ ଜନିତ ମାରାତ୍ମକ ରୋଗ ଭାବେ ଲିଭର୍ ସିରୋସିସ୍ ପରିଚିତ  । ଏହା ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁନଥିବା ରୋଗଟି, କିନ୍ତୁ ପରବର୍ତ୍ତୀ ସମୟରେ ଜୀବନ ପାଇଁ ଘାତକ ହୋଇଥାଏ  । ସବୁଠାରୁ ଉଦ୍ବେଗ ଜନକ ପ୍ରସଙ୍ଗ ହେଉଛି - ଏହି ରୋଗରେ ରୋଗୀଟିର ଯକୃତ ଅନୁନ୍ୟ ୯୦ ପ୍ରତିଶତ କ୍ଷତି ହୋଇନଥିବା ପର୍ଯ୍ୟନ୍ତ ରୋଗୀଟି କୌଣସି ଯନ୍ତ୍ରଣା ଅନୁଭବ କରିପାରି ନଥାଏ  । ତେଣୁ ବାହାରୁ ଏହି ରୋଗ ବିଷୟରେ ଜାଣିବା ବା ବୁଝିବା ଏତେ ସହଜ ନୁହେଁ  । ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀଟିର ପାଚନ ଶକ୍ତି କମିଯିବା ଦ୍ୱାରା ଭୋକ କମ ଲାଗିବା, ଦୁର୍ବଳ ଲାଗିବା, ଶରୀର କୁଣ୍ଡେଇ ହେବା ସହ ବିଭିନ୍ନ ପ୍ରକାର ଅସ୍ୱସ୍ତିକର ଯନ୍ତ୍ରଣା ଅନୁଭବ ହେବା  । ତେବେ ସିରୋସିସ୍ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି ଓ ସି ଭାଇରସ୍ ଇନ୍ଫେକ୍ସନ, ନିଶାଦ୍ରବ୍ୟ ସେବନ, ମଦ୍ୟପାନ, ଇମୁ୍ୟନ୍ ହେପାଟାଇଟିସ୍  । ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମି ଯାଇଥିବା ଚର୍ବି କାରଣରୁ ମଧ୍ୟ ସିରୋସିିସ୍ ହୋଇପାରେ  । ନିଶାଦ୍ରବ୍ୟ ସେବନ, ମାଦକ ସେବନ ସହିତ ସଂପ୍ରତି ଜଳବାୟୁର ଅସ୍ୱସ୍ତିକର ପରିବେଶ ସହ ବଜାରର ତଥାକଥିତ ଫାଷ୍ଟଫୁଡ଼, ବାସି ଖାଦ୍ୟ, ଥଣ୍ଡାଖାଦ୍ୟ ଓ ଆବଶ୍ୟକୀୟ ଖାଦ୍ୟ ଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ଭାବେ ଜଣାଶୁଣା  । ଏହି ରୋଗୀମାନଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକୀୟ ଖାଦ୍ୟସାର ଓ ପୁଷ୍ଟିକର ଶକ୍ତିପାଇଁ ଦୃଷ୍ଟିଦେବାକୁ ହେବ  ।  ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସିରୋସିସ୍ର ଲକ୍ଷଣକୁ ଦେଖି ଚିକିତ୍ସା ତ୍ୱରାନ୍ୱିତ ହେଲେ ରୋଗୀଟି ଉପଶମ ପାଇଥାଏ  । ଆମ ଦେଶରେ ଲିଭର ସିରୋସିସ୍ ଚିକିତ୍ସାକୁ ବେଶ ଖର୍ଚ୍ଚ ସାପେକ୍ଷ ବୋଲି କେହି କେହି କହୁଥାନ୍ତି  । ଆଉ କେହି କେହି ଭାବିଥାନ୍ତି ଯେ ସିରୋସିସ୍ମାନେ ମୃତୁ୍ୟ ନିଶ୍ଚିତ, ଏହା କିନ୍ତୁ ଭାବିବା ଭୁଲ୍  । ସିରୋସିସ୍ର ପରୀକ୍ଷା ନିରୀକ୍ଷା ଦ୍ୱାରା ଏହାର କାରଣକୁ ଦେଖି ସିରୋସିସ୍ର ସଂକ୍ରମଣ ପର୍ଯ୍ୟାୟକୁ ଦେଖି ଚିକିତ୍ସା କରିଲେ ଏହା ନିଶ୍ଚିତ ଭାବରେ ଆରୋଗ୍ୟ ସାଧ୍ୟ  । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ବଡ଼ମେଡ଼ିକାଲ ମାନଙ୍କରେ ଏହି ଚିକିତ୍ସା ସେବାକୁ ଲୋକମାନଙ୍କ ପାଖରେ ସୁଲଭ ଭାବରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କଲ୍ୟାଣଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଭିଜ୍ଞ ଲିଭର ବିଶେଷଜ୍ଞମାନେ ରାଜ୍ୟର ସର୍ବବୃହତ ବଡ଼ମେଡ଼ିକାଲ ମାନଙ୍କରେ ସରକାରଙ୍କ ପ୍ରଦତ୍ତ ପରୀକ୍ଷା ନିରୀକ୍ଷା ଠାରୁ ଔଷଧ ପ୍ରଦାନର ବ୍ୟବସ୍ଥା ରଖିଛନ୍ତି  । ତେବେ ଲିଭର ସିରୋସିସ୍ କ୍ଷେତ୍ରରେ କୌଣସି ପ୍ରକାର ତୁଟୁକା ତୁଟୁକି ଓ କାନକୁହା କଥା ଶୁଣି ଚିକିତ୍ସାରୁ ଦୂରେଇ ନରୁହନ୍ତୁ  । ସର୍ବପ୍ରଥମେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ  । ବେଳେ ବେଳେ ଲିଭର ସିରୋସିସ୍ ସହିତ ଲିଭର କ୍ୟାନସର ମଧ୍ୟ ମିଶି ରହିଥାଏ । ପ୍ରାଥମିକ ଅବସ୍ଥାରେ ରୋଗ ଚିକିତ୍ସା କଲେ ଚିକିତ୍ସା ସୁଫଳ ମିଳେ ।   
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭